ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କ ବିୟୋଗ ଦେଶର ରାଜନୀତିରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି । କଂଗ୍ରେସର ଏହି ଅଜାତଶତ୍ରୁ ରାଜନେତା ଥିଲେ ଦଳର ସଙ୍କଟ ମୋଚକ ଓ ପୋଖତ ରାଜନୀତିଜ୍ଞ । ୧୯୩୫ ମସିହା ପଶ୍ଚିମବଙ୍ଗ ର ବୀରଭୂମି ଜିଲାର ମୀରାତି ଗାଁରେ ଜନ୍ମ ଗ୍ରହଣ କରିଥିଲେ ପ୍ରଣବ । ୧୯୬୯ ମସିହାରୁ ସେ ୫ ଥର ରାଜ୍ୟ ସଭାର ସଦସ୍ୟ ଥିଲେ ।
୧୯୭୨ରେ ସେ ଇନ୍ଦିରା ଗାନ୍ଧୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିଲେ । ୨୦୦୪ ଓ ୨୦୦୯ ରେ ଦୁଇଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସ୍ୱର୍ଗତ ପ୍ରଣବ ମୁଖାର୍ଜୀ ୨ ଥର ଅର୍ଥବିଭାଗ ମନ୍ତ୍ରୀ ହେବାସହ ବାଣିଜ୍ୟ, ବୈଦେଶିକ ଓ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ ବିଭାଗର ମନ୍ତ୍ରୀଭାବେ କାର୍ଯ୍ୟ କରିଥିଲେ । ୨୦୦୮ ରେ ତାଙ୍କୁ ପଦ୍ମବିଭୂଷଣ ସମ୍ମାନ ସହ ୨୦୧୯ ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ପ୍ରଦାନ କରାଯାଇଥିଲା । ୫ ଦଶନ୍ଧି ଧରି ପ୍ରଣବ ଭାରତୀୟ ରାଜନୀତିରେ ଜଣେ ବିଚକ୍ଷଣ ଓ ସମ୍ମାନସ୍ପଦ ରାଜନେତା ଭାବେ ସକ୍ରିୟଥିଲେ । ଦଳ ଭିତରେ ଓ ଦଳ ବାହାରେ ତାଙ୍କର ବେଶ ଲୋକପ୍ରିୟତା ମଧ୍ୟ ରହିଥିଲା