ବିହାର ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିର ସାଙ୍ଗଠନିକ ବିସ୍ତାର କରାଯାଇଛି । ଏହି ତାଲିକାରେ ଯୋଡି ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯାହାକି ରାଜ୍ୟ ବିଜେପି ପାଇଁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ସନ୍ଦେଶ ଦେଇଛି । ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ରେ ସ୍ଥାନ ପାଇ ନଥିବା ଅପରାଜିତାଙ୍କ ପାଇଁ ଏହା ଏକ ବଡ ସୁଯୋଗ । ଏପରିକି ଓଡିଶା ବିଜେପିରେ ମଧ୍ୟ ଅପରାଜିତାଙ୍କୁ ନୂଆ ନିଯୁକ୍ତି ଅନେକ ଗୁରୁତ୍ତ୍ୱ ରଖେ । ଆଗାମୀ ସମୟରେ ରାଜ୍ୟ ବିଜେପି ର ବଡ ଚେହେରା ହୋଇପାରନ୍ତି ମ୍ୟାଡ଼ାମ ଅପରାଜିତା । ନିର୍ଦ୍ଧିଷ୍ଟ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ କୋଟେରୀ ଦ୍ୱାରା ପରିଚାଳିତ ରାଜ୍ୟ ବିଜେପି ଏବେ ଦିଶାହୀନ ହୋଇ ପଡିଛି । ତେଣୁ ଆଗକୁ ଓଡ଼ିଶାରେ ବିଜେପିର ସ୍ଥିତି ସୁଧାରିବାକୁ ହୁଏତ ଦଳୀୟ ହାଇକମାଣ୍ଡ ଚିନ୍ତା କରୁଥିବା ଜଣାଯାଏ ।
ଏଣୁ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ପ୍ରତ୍ୟାଖ୍ୟାତ ନେତାଙ୍କ ଅପେକ୍ଷା ଆଜି ଦିନରେ ଓଡିଶା ବିଜେପି ପାଇଁ ଅଧିକ ଗ୍ରହଣୀୟ ଅପରାଜିତା ଷଡ଼ଙ୍ଗୀ ହୋଇପାରିବେ ବୋଲି ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ ଆସନରୁ ଜିତିଥିବା ଅପରାଜିତା ଙ୍କ ସାଙ୍ଗଠନିକ ଦକ୍ଷତା ଓ ସ୍ୱଚ୍ଛ ଚେହେରା ହିଁ ରାଜ୍ୟ ବିଜେପି କୁ ପୁର୍ନଜୀବିତ କରିପାରେ । ଏହି ବିଚାର ରଖି ଅପରାଜିତାଙ୍କୁ ଏବେ ରାଷ୍ଟ୍ରୀୟ ମୁଖପାତ୍ର ଦାୟିତ୍ୱ ଦିଆଯାଇଛି । ଏପରିକି ରାଜ୍ୟ ବିଜେପିର ବରିଷ୍ଠକର୍ମୀ ଓ ନେତା ମଧ୍ୟ ଅପରାଜିତାଙ୍କ ନେତୃତ୍ୱକୁ ସ୍ୱୀକାର କରିବା ଆରମ୍ଭ କରିଲେଣି । ରାଜନୈତିକ ବିଶେଷଜ୍ଞ ମାନେ ମଧ୍ୟ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଙ୍କ ଅପେକ୍ଷା ଅପରାଜିତା ହିଁ ବିଜେପି ର ନେତୃତ୍ୱ ନେବାପାଇଁ ସର୍ବାଧିକ ଯୋଗ୍ୟ ବୋଲି କହିବା ଆରମ୍ଭ କଲେଣି । ତେଣୁ ସାଂସଦ ଅପରାଜିତାଙ୍କ ପାଖରେ ଏବେ ବଡ ଆହ୍ୱାନ , କିଭଳି ଭାବେ ସେ ଏହି ନୂଆ ଦାୟିତ୍ୱ କୁ ସମ୍ଭାଳିବା ସହ ଦଳରେ ସାଂଗଠନିକ ସ୍ଥିରତା ରକ୍ଷାକରିବେ ।