ଟେଲିଭିଜନ ଦୁନିଆରେ ଏବେ TRP କଂପନ । ଆଳୁ ଖୋଳୁ ଖୋଳୁ ମହାଦେବଙ୍କ ପରି TRP ନେଇ ଅସଲ ତଥ୍ୟ ଏବେ ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଏହି ମାମଲାରେ କିଛି ଜାତୀୟ ସ୍ତରର ଟିଭି ଚ୍ୟାନେଲ ଓ ଆଞ୍ଚଳିକ ଟିଭି ଚ୍ୟାନେଲର କର୍ମଚାରୀଙ୍କୁ ଗିରଫ କରି ସାରିଲାଣି । ଏପରିକି ଟିଆରପି ସ୍କାମ ରେ ଜଡିତ ଏକ ସଂସ୍ଥାର ପୂର୍ବତନ କର୍ମଚାରୀ ଓ ୨ଟି ଆଞ୍ଚଳିକ ଚ୍ୟାନେଲର ମାଲିକଙ୍କୁ ମଧ୍ୟ ଗିରଫ କରିବା ଘଟଣା ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି । ମୁମ୍ବାଇ ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ ଏହି ସ୍କାମ ରେ ଜଡିତ ଚ୍ୟାନେଲର ବରିଷ୍ଠ କର୍ମଚାରୀ ଏପରିକି ମାଲିକଙ୍କୁ ମଧ୍ୟ ପୋଲିସ ଗିରଫ କରିପାରେ ।
ବହୁଦିନ ଧରି ଏପରି ବେଧଡକ TRP ଚୋରି ଚାଲିଥିବା ବେଳେ ଏବେ ସତ ପଦାକୁ ଆଚିଛି, ଯାହାକୁ ନେଇ ଜାତୀୟ ସ୍ତରର News ଚ୍ୟାନେଲ ଗୁଡିକ ପରସ୍ପର କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ କରିଦେଲେଣି । TRP ଚୋରି ଯେ, କେବଳ ମୁମ୍ବାଇ, ଦିଲ୍ଲୀରେ ଚାଲିଛି ତା ନୁହେଁ, ବରଂ
ଓଡ଼ିଶାରେ ମଧ୍ୟ ମାତ୍ରାଧିକ TRP ହେରଫେର ନେଇ ଆଗରୁ ଅଭିଯୋଗ ହୋଇ ଆସୁଛି । କିଛି ଦିନ ପୂର୍ବରୁ ଓଡ଼ିଶାର ୨ଟି ପ୍ରମୁଖ ନ୍ୟୁଜ ଚ୍ୟାନେଲ BARC ନିକଟରେ ଏ ନେଇ ଅଭିଯୋଗ ମଧ୍ୟ କରିଥିଲେ । ପରିଣାମ ସ୍ୱରୂପ BARCର ଧରପଗଡ ପରେ ଅଭିଯୋଗ ଆସିଥିବା ଗୋଟିଏ ନ୍ୟୁଜ ଚ୍ୟାନେଲର ଏବେ ୨ ନମ୍ବରରୁ ଖସି ତଳଆଡ଼ୁ ଦ୍ଵିତୀୟ ସ୍ଥାନରେ ପହଂଚି ଯାଇଛି । ମୁମ୍ବାଇ ଘଟଣା ପରେ ଏବେ ଓଡ଼ିଶାର ପାଳି ପଡିବା ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ଓଡ଼ିଶାରେ ପାଖାପାଖି ୨୦୦ ଟି ମିଟର ଲାଗିଥିବା ବେଳେ କିଛି ପ୍ରମୁଖ ନ୍ୟୁଜ ଚ୍ୟାନେଲ ଏହି ମିଟର ଟାମ୍ପରିଙ୍ଗ କରିବାର ଅଭିଯୋଗ ସାମ୍ନାକୁ ଆସଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ BARC ଏନେଇ ଖୋଳତାଡ଼ ଆରମ୍ଭ କରିଛି । ଖୁବ ଶୀଘ୍ର BARC ତରଫରୁ ଗୋଟିଏ ନ୍ୟୁଜ ଚ୍ୟାନେଲର CMD ଓ ଅନ୍ୟ ଏକ ନ୍ୟୁଜ ଚାନେଲର Business Head ଙ୍କୁ ଏନେଇ ପଚରା ଉଚରା କରାଯିବ । BARC ର ଛାନଭିନ ପରେ TRP ଚୋରିରେ ସମ୍ପୃକ୍ତ ଥିବା ଏହି ୨ଟି ନ୍ୟୁଜ ଚ୍ୟାନେଲର ମୁଖ୍ୟଙ୍କ ବିରୋଧରେ ପୋଲିସ ନିକଟରେ FIR ମଧ୍ୟ ଦାୟର ହୋଇ ପାରେ ।